ଆଗରପଡ଼ା :ବନ୍ତ-ଆନନ୍ଦପୁର ଜାତୀୟ ରାଜପଥର ବରକୋଣା କିମ୍ବା ଓରାଳି ଛକଠାରୁ ଉତ୍ତରକୁ ମାତ୍ର ୧କି.ମି ଗଲେ ଆପଣ୍ଡା ଗ୍ରାମର ପୂରାତନ ବୈାଦ୍ଧ ଧର୍ମନିରଞ୍ଜନଙ୍କ ପୀଠସ୍ଥଳୀ ପଡ଼େ । ବହୁ ବର୍ଷ ପୂର୍ବେ ଉକ୍ତ ଗ୍ରାମର ପୋଖରୀ ଖନନବେଳେ ଏହି ମୂର୍ତ୍ତିର ସଂଧାନ ମିଳିଥିଲା । ସେବେଠାରୁ ଗ୍ରାମବାସୀଙ୍କ ଦ୍ୱାରା ଏହାକୁ ଉଦ୍ଧାର କରାଯାଇଥିଲା ଏବଂ ଏକ ତେନ୍ତୁଲି ବୃକ୍ଷମୂଳେ ପୂଜାପାଉଥିଲେ । ଏହାର ରକ୍ଷଣା ବେକ୍ଷଣ ପାଇଁ ସ୍ଥାନୀୟ ବିଧାୟକଙ୍କ ତରଫରୁ ଉକ୍ତ ସ୍ଥାନରେ ଏକ ଛୋଟ ଗୃହ ଓ ପାଚେରୀ ନିର୍ମାଣ କରାଯାଇଥିଲା । ତାହା ଏବେ ଅଧାପନ୍ତରିଆ ଭାବେ ପଡ଼ିରହିଛି । ଯେଉଁ ପୁରାତନ ତେନ୍ତୁଲି ବୃକ୍ଷର କୋମଳ ଓ ଶିତଳ ବାହୁ ଛାୟାତଳେ ରହି ବେଶ୍ ଆରାମରେ ପୂଜାପାଉଥିଲେ ଧର୍ମନିଞ୍ଜନ ,ନୂତନ ଗୃହ ନିର୍ମାଣ ଆଳରେ ଉକ୍ତ ବୃକ୍ଷକୁ କାଟି ଦିଆଯିବାରୁ ଖରାବର୍ଷାରେ ଏବେ ଅବହେଳିତ ଭାବେ ପଡ଼ି ରହିଛନ୍ତି ସେ । ତାଙ୍କର ଏହି ଦୟନୀୟ ଅବସ୍ଥାକୁ ଦେଖି ଗ୍ରାମବାସୀ ମାନେ ତିବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଉକ୍ତ ପୀଠର ମହିମା ବିଷୟରେ ପୁରାତନ ବ୍ୟକ୍ତିମାନେ କୁହନ୍ତି ; ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାଦ୍ଧୀ ରେ ଭୌମ ବଂଶର ରାଜା ଶୁଭଙ୍କର ବୌଦ୍ଧ ଉପାସକ ଥିବାରୁ ବୈାଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଭଦ୍ରକ ଓ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବୁଦ୍ଧ ଦେବଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରାଉଥିଲେ । ଉକ୍ତ ମୂର୍ତ୍ତି ମାନଙ୍କ ମଧ୍ୟରେ ଆପଣ୍ଡାର ଧର୍ମନିରଂଜନ ଓ ରାମପୁର ଗ୍ରାମର ବୁଦ୍ଧ ଦେବଙ୍କ ଧ୍ୟାନ ମୁଦ୍ରାର ମୂର୍ତ୍ତି ଅନ୍ୟତମ । ପୁର୍ବରୁ ଉକ୍ତ ପୀଠରେ ବୁଦ୍ଧ ପୂର୍ଣ୍ଣିମାରେ ଚନ୍ଦନ ଲାଗି ବେଶ ,ଦୋଳଉତ୍ସବ ଆଦି ବହୁ ଆଡ଼ମ୍ବରରେ ପାଳନ ହେଉଥିଲା । ବୌଦ୍ଧ ଧର୍ମାବଲମ୍ବି ଙ୍କ ଦ୍ୱାରା ଧର୍ମାଲୋଚନା ହେବାସହ ଏହାର ପ୍ରଭାବ ବୋଶ୍ ପ୍ରସାରୀ ହୋଇଥିଲା । ସେ ସମୟରେ ଉକ୍ତ ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ ଜଳାଭାବ ବହୁପରିମାଣରେ ଦେଖାଯାଉଥିଲା । ଲୋକମାନଙ୍କର ଦୃଢ଼ ବିଶ୍ୱାସ ଥିଲା ବୁଦ୍ଧ ଦେବଙ୍କ ବେଢ଼ାରେ ବର୍ଷା ହୋଇ ଉକ୍ତ ଜଳ ବୋହି ଏହାର ଅନତି ଦୂରେ ଥିବା ଭାଟିଆ ପୋଖରୀରେ ପହଁଚିଲେ ଜଳାଭାବରୁ ମୁକ୍ତି ମିଳିବା ସହ ଚାଷ କାର୍ଯ୍ୟଭଲ ହେବ । ଏଥିପାଇଁ ଲୋକମାନେ ବୁଦ୍ଧ ଦେବଙ୍କୁ ପାର୍ଶ୍ୱ ପୁଷ୍କରିଣୀ ରୁ ଜଳ ଆଣି ତାଙ୍କୁ ମହାସ୍ନାନ କରାଉଥିଲେ । ସେହି ଭକ୍ତି ଆଉ ବିଶ୍ୱାସ ଏବେବି ଅତୁଟ ରହିଥିବାର ଗ୍ରାମବାସ ମାନେ ପ୍ରକାଶ କରନ୍ତି । ସରକାର ଏହି ପୁରାତନ ପୀଠର ରକ୍ଷଣା ବେକ୍ଷଣ ପାଇଁ ଉଦ୍ୟମ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । ଏବଂ ସଂପୃକ୍ତ ଠିକାଦାରଙ୍କ ଦ୍ୱାରା ପଥରରେ ଏକ ଛୋଟ ଗୃହ ଓ ଏହାର ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ୨ବର୍ଷରୁ ଉର୍ଦ୍ଦ ସମୟ ହେବ ଏହା ଅଧାପନ୍ତରିଆ ଭାବେ ପଡ଼ିରହିଛି । ତେଣୁ ଏହି ଅଂଚଳପାଇଁ ଗର୍ବ ଓ ଗୈାରବର ପ୍ରତୀକ ଥିବା ଧର୍ମନିରଂଜନ ପୀଠର ଅଧପନ୍ତରିଆ କାମକୁ ତୁରନ୍ତ ସଂପୂର୍ଣ୍ଡ କରିବା ସହ ପୀଠର ରକ୍ଷଣବେକ୍ଷଣ ଦିଗରେ ବିହିତ ପ୍ରଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

