Photo for the news of pradhan paninala

ପ୍ରଧାନ ପାଣିନାଳ ଉପର ବେଆଇନ ପକ୍କାଘର ନିର୍ମାଣ, ଅଭିଯୋଗର ୧୦ମାସ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

ରାଜ୍ୟ

ଆଗରପଡ଼ା :ନୂତନ ସରାକର ଆସିବା ପରେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବ୍ଳକରେ ଜବର ଦଖଲରେ ଥିବା ବିଭିନ୍ନ ଜାଗାରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ବେଳେ ଏହାର ବ୍ୟତିକ୍ରମ କିନ୍ତୁ ବନ୍ତ ବ୍ଲକରେ ଦେଖିବାକୁ ମିଳିଛି । ଅଭିଯୋଗକୁ ୧୦ମାସ ବିତିଯିବା ପରେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିବା ତାର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଅଣିଜୋ ମାଇନର କେନାଲରୁ ବାହାରିଥିବା ଆଉଟ୍‌ଲେଟର ପ୍ରଧାନ ନାଳ ଉପରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେ଼ାଆଇନ୍ ଭାବେ ସ୍ଥାୟୀ ପକ୍କାଘର ନିର୍ମାଣ କରିଥିବାରୁ ଏହାକୁ ଉଚ୍ଛେଦ ଦାବି ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ପାଣି ପଂଚାୟତ ସଭାପତି,ସମ୍ପାଦକ ଏବଂ ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଗତ ଜୁଲାଇ ମାସରେ ପତ୍ର ମାଧ୍ୟମରେ ଅଭିଯୋଗ କରିଥିଲେ । ବନ୍ତ ବ୍ଲକ ଅନ୍ତର୍ଗତ ବଡ଼ମହିଁଷଗୋଠ ଓ ପୁରୁଷଣ୍ଢ ପଂଚାୟତର କୁଆଁଶମଢିଆ ରାଜସ୍ୱ ମୌଜାର ଗରୀବ,ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ପରିବାରର ଚାଷୀ ମାନେ କୃଷି କାର୍ଯ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ;ସରକାରୀ ଚକବନ୍ଦୀ ନକ୍କା ଅନୁସାରେ ଅଣିଜୋ ଶାଖା କେନାଲ(କୁଆଁଶମଢିଆ ମୌଜା ଜଳସେଚନ ଅଫିସ ସନ୍ନିକଟ)ରୁ ଆଉଟ୍‌ଲେଟ୍ ଦ୍ୱାରା ଏକ ପ୍ରଧାନ ପାଣିନାଳ ଖାତା ନଂ-୨୮୪,ପ୍ଲଟ ନଂ-୫୩୭,ରକବା-ଏ୦-୧୧ଡ଼ି. ଦୀର୍ଘ ୫୦୦ ମି.ପର୍ଯ୍ୟନ୍ତ ସ୍ଥିତାବସ୍ଥା ହରାଇ ବସିଛି । ପରିତାପର ବିଷୟ ଉକ୍ତ ଆଉଟ୍‌ଲେଟ୍ ଆରମ୍ଭରୁ ପ୍ରଧାନ ପାଣିନାଳ ଉପରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବେଆଇନ୍ ଭାବେ ପକ୍କାଘର ନିର୍ମାଣ କରିବା ସହ ଉକ୍ତ ମୌଜାର ପାଖାପାଖି ୨୫ରୁ ଉର୍ଦ୍ଧ୍ୱ ପ୍ରଧାନ ପାଣିନାଳ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଅବରୋଧ କରାଯାଇଅଛି । ଯଦ୍ୱାରା ସମସ୍ତ ଚାଷ ଜମିକୁ ଜଳ ନିଷ୍କାସନ ହୋଇପାରୁନାହିଁ କି ଚାଷ ଜମିରେ ପାଣି ପହଂଚି ପାରୁନାହିଁ । ଅପର ପକ୍ଷରେ କେନାଲ ଜଳ ନପାଇ ମଧ୍ୟ ସେମାନେ ଜଳକଳ ଦେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ପ୍ରଧାନ ପାଣିନାଳ ଉପରେ ବେଆଇନ୍ ସ୍ଥାୟୀ ପକ୍କ୍‌ାଗୃହକୁ ଉଚ୍ଛେଦ ଓ ଅବରୋଧ ହୋଇ ରହିଥିବା ସମସ୍ତ ପ୍ରଧାନ ପାଣିନାଳକୁ ଅବରୋଧ ମୁକ୍ତ କରିବା ପାଇଁ ଆଗରପଡ଼ା ୧୪ ନଂ ଜୋନ୍ ଜିଲ୍ଳାପରିଷଦ ସଭ୍ୟା ରୁନିତା ଦାସ,ବିଟିପୁର ସରପଂଚ ସୁଭଦ୍ରା ସିଂହ,ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ,ବଡ଼ମହିଁଷଗୋଠ ସମିତି ସଭ୍ୟା ପଦ୍ମାବତୀ ନାଥଶର୍ମା,ମା’ଚଣ୍ଡି ପାଣି ପଂଚାୟତ ସଭାପତି ଦିପକ ମହାନ୍ତି,ସମ୍ପାଦକ ପଦ୍ମଲୋଚନ ନାଥଶର୍ମାଙ୍କ ସମତେ କୁଆଁଶମଢିଆ ଅଧିନସ୍ଥ ସମସ୍ତ ଚାଷୀ ଓ ପଂଚାୟତ ବାସୀ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଥିଲା । ତତ୍ ସହିତ ଏହାର ଏକକିତା ନକଲ ଅତିରିକ୍ତ ଜିଲ୍ଲାପାଳ(ରେଭିନ୍ୟୁ)ଭଦ୍ରକ, ତହସିଲଦାର ବନ୍ତ ଓ ନିର୍ବାହୀଯନ୍ତ୍ରୀ କାଡ଼ା,ଭଦ୍ରକଙ୍କୁ ପ୍ରେରଣ ମଧ୍ୟ କରିଥିଲେ । କିନ୍ତୁ ଇତି ମଧ୍ୟରେ ୧୦ମାସ ବିତିବାକୁ ବସିଥିବା ବେଳେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ଅପରପକ୍ଷରେ ଉକ୍ତ ସମସ୍ୟାକୁ ନେଇ ବନ୍ତ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ କାଡ଼ା ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ନ ଆସିଲେ ସେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ । ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଉକ୍ତ ଅଭିଯୋଗକୁ କାଗଜ କଳମରେ ସୀମିତ ନରଖି ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇର୍ ଅଭିଯୋଗକାରୀ ଦାବି କରିଛନ୍ତି ।

Shrutilipi ad