R1tn38u36a57hkpl9pf64r1i1a 20250507031841.medi

ଭାରତର ଆକ୍ରମଣରେ ଥରହର ପାକିସ୍ତାନ: ବଡ଼ ଧମକ ଦେଲେ ଶେହବାଜ ସରିଫ, ଡାକିଲେ ଜରୁରୀ ବୈଠକ

ଦେଶ - ବିଦେଶ

ଇସଲାମାବାଦ: ଭାରତୀୟ ବାୟୁସେନା ଗତକାଲି ବିଳମ୍ବିତ ରାତିରେ ‘ଅପରେସନ ସିନ୍ଦୂର’ ଅଧୀନରେ ପାକ୍ ଅଧିକୃତ କାଶ୍ମୀର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି। ମୁଜାଫରାବାଦ, କୋଟଲି, ଗୁଲପୁର, ବିମ୍ବର, ସିଆଲକୋଟ, ଚକ୍ ଅମ୍ରୁ, ମୁରିଦକେ ଏବଂ ବହାବଲପୁରରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଟାର୍ଗେଟ କରିଛି ଭାରତ। ପାକିସ୍ତାନ ସେନା ଭାରତୀୟ ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ, ଏହି ଆକ୍ରମଣ ଭାରତୀୟ ବାୟୁସୀମାରୁ କରାଯାଇଛି। କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ଏହି ଆକ୍ରମଣକୁ ନିନ୍ଦା କରିଛି ଏବଂ ପ୍ରତିଜବାବର ଚେତାବନୀ ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ଦ୍ଵାରା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବହୁ ପରିମାଣରେ ବୃଦ୍ଧି ପାଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତର ଆକ୍ରମଣକୁ ନିନ୍ଦା କରି ନିଜ ବୟାନରେ କହିଛନ୍ତି, ‘‘ଶତ୍ରୁପକ୍ଷ ପାକିସ୍ତାନରେ କାପୁରୁଷୋଚିତ ଆକ୍ରମଣ କରିଛି। ଭାରତ ଆରମ୍ଭ କରିଛି ଏବଂ ପାକିସ୍ତାନକୁ ତା’ ଉପରେ ଲଦି ଦିଆଯାଇଥିବା ଯୁଦ୍ଧର ଜବାବ ଦେବାର ସମ୍ପୂର୍ଣ୍ଣ ଅଧିକାର ଅଛି। ନିଶ୍ଚିତ ଭାବରେ ଏକ କଡ଼ା ଜବାବ ଦିଆଯାଉଛି ଏବଂ ଦିଆଯିବ। ସରିଫ କହିଛନ୍ତି, ପାକିସ୍ତାନ ସେନା ଶତ୍ରୁ ସହ କିପରି ମୁକାବିଲା କରିବାକୁ ହୁଏ, ତାହା ଭଲ ଭାବରେ ଜାଣେ।’’
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତର ଆକ୍ରମଣ ପରେ ସ୍ଥିତି ଉପରେ ଆଲୋଚନା ପାଇଁ ବୁଧବାର ସକାଳେ ଜାତୀୟ ସୁରକ୍ଷା କମିଟିର ଏକ ବୈଠକ ଡାକିଛନ୍ତି। ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ କହିଛନ୍ତି ଯେ, ପାକ୍‌ ଅଧିକୃତ କାଶ୍ମୀର ଏବଂ ପୂର୍ବ ପଞ୍ଜାବ ପ୍ରଦେଶରେ ଭାରତ ପକ୍ଷରୁ ଆକ୍ରମଣ ହୋଇଛି। ପଞ୍ଜାବର ବହାବଲପୁରରେ ମଧ୍ୟ ଆକ୍ରମଣ କରାଯାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଆକ୍ରମଣ ପଞ୍ଜାବର ମୁରିଦକେ ଏବଂ ପାକ୍ ଅଧିକୃତ କାଶ୍ମୀରରେ ହୋଇଛି।

Shrutilipi ad