ଲଗାତର ୧୧ତମ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଦେଶ - ବିଦେଶ

ଜମ୍ମୁ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲଓସି)ରେ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିଚାଳନା କରିଆସୁଛି। ବିନା ପ୍ରରୋଚନାରେ ପାକିସ୍ତାନୀ ପୋଷ୍ଟରୁ ଏହି ଗୁଳିଚାଳନା ଗୋଟିଏ କିମ୍ବା ଦୁଇଟି ସେକ୍ଟର ମଧ୍ୟରେ ସୀମିତ ହୋଇ ରହିନାହିଁ। ବରଂ ଏକକାଳୀନ ଅନେକ ସେକ୍ଟରରେ ଗୁଳିଚାଳନା ହେଉଛି। ତେବେ ଭାରତୀୟ ଯବାନମାନେ ଗୁଳିମାଡ଼ର ମୁହଁତୋଡ଼ ଜବାବ ଦେଉଛନ୍ତି। ପହଲଗାମ ଆକ୍ରମଣ ପରେ ଗତ ରାତିରେ ପାକିସ୍ତାନ ଲଗାତର ୧୧ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ ଜମ୍ମୁ-କାଶ୍ମୀରର କୁପୱାଡା, ବାରାମୁଲ୍ଲା, ପୁଞ୍ଚ, ରଜୌରୀ, ମେଣ୍ଢର, ନୌଶେରା, ସୁନ୍ଦରବନୀ ଏବଂ ଅଖନୁର ଆଖପାଖ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ହୋଇ ବିନା ପ୍ରରୋଚନାରେ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା କରିଥିଲେ। ଭାରତୀୟ ସେନା ତୁରନ୍ତ ଏବଂ ଉପଯୁକ୍ତ ଜବାବ ଦେଇଛି।