Photo for the news of kalyan mandap

୭ବର୍ଷ ପରେବି ଅନିଶ୍ଚିତତାରେ ପ୍ରକଳ୍ପ, ଅର୍ଥାଭାବରୁ ଅଧପନ୍ତରିଆ ଅବସ୍ଥାରେ କଲ୍ୟାଣମଣ୍ଡପ

State

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠିକ୍ ଭାବେ କରୁନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ତେଣୁ ଜନ କଲ୍ୟାଣରେ କଲ୍ୟାଣମଣ୍ଡପ କେବେ ଲାଗିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ; ସରକାରଙ୍କ ଯୋଜନା ମୁତାବକ ପ୍ରତି କଲ୍ୟାଣମଣ୍ଡପ ନିର୍ମାଣରେ ପାଖାପାଖି ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସମପରିମାଣର ଅର୍ଥ ମଂଜୁର ହୋଇପାରୁନଥିବାରୁ ଉକ୍ତ ମଣ୍ଡପ ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । । ୨୦୧୮-୧୯ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ପରବର୍ତ୍ତି ସମୟରେ ବିଭିନ୍ନ ଯୋଜନାରେ ଆଉ ୧୦ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା ଏହାର ନିର୍ମାଣରେ କିନ୍ତୁ ଇତି ମଧ୍ୟରେ ଉକ୍ତ ପ୍ରକଳ୍ପକୁ ୭ବର୍ଷ ପୂରିସାରି ଥିଲେ ସୁଦ୍ଧା ପ୍ରକଳ୍ପଟି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏତେ ବର୍ଷ ବିତି ଯିବା ପରେ ମଧ୍ୟ ଏହାର ଛାତ ପଡ଼ିପାରୁ ନଥିବାରୁ ନିର୍ମାଣ ସରିବା ବେଳକୁ ଏହା ପୁଣି କାମ ମାଗିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହା ସଂପୂର୍ଣ୍ଣ ହେବାକୁ ଆହୁରି ୧୫ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଏଥି ନେଇ ଉକ୍ତ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ଆବଶ୍ୟକ ଅର୍ଥ ମଜୁଂର ହୋଇପାରୁ ନଥିବାରୁ ଏହା ସଂପୁର୍ଣ୍ଣ ହୋଇ ପାରୁନଥିବା ପ୍ରକାଶ କରିଥିଲେ । ଏବଂ ଅର୍ଥ ମଂଜୁର ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ପଠା ଯାଇଛି । ପ୍ରସ୍ତାବ ଅନୁମୋଦିତ ହେବା ପରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଉକ୍ତ ପଂଚାୟତର ତୋଟାସାହି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପ ନିର୍ମାଣକୁ ୫ବର୍ଷର୍ ପୂରି ସାରିଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ । ନିର୍ମାଣକୁ ୩ବର୍ଷ ପୂରିଯିବା ପରେ ମଧ୍ୟ ପ୍ରକଳ୍ପଟି ଗ୍ରେଡ଼ ବିମରେ ଅଟକିରହିଥିଲା । ତୋଟାସାହି ଉକ୍ତ ଅଂଚଳର ଏକ ପବିତ୍ର ସ୍ଥାନ ହୋଇଥିବା ବେଳେ ଜିଲ୍ଲାରେ ସାବିତ୍ରୀ ଆଡ଼ି ନାମରେ ପରିଚିତ ଥିବାରୁ ଏଠାରେ ଜଲ୍ୟାଣ ମଣ୍ଡପ ନିର୍ମାଣର ଗୁରୁତ୍ୱ ଥିବା ସ୍ଥଳେ ଏହା ଅଧପନ୍ତରିଆ ଅବସ୍ଥାରେ ରହିଥିବା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇଥିଲା । କିନ୍ତୁ ଅର୍ଥାଭାବରୁ ଏହା ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ଅର୍ଥାଭାବରୁ ଏବଂ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହିପରି ସମସ୍ୟା ଉପୁଜିଥିବା ପରିଲକ୍ଷିତ ହୋଇଛି । ତେଣୁ ବିଭିନ୍ନ ପଂଚାୟତରେ ନିର୍ମିତ ଅଧପନ୍ତରିଆ କଲ୍ୟାଣ ମଣ୍ଡପ କେବେ ଜନକଲ୍ୟାଣରେ ଲାଗିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ରାଜ୍ୟର ଶାସନ ଗାଦିରେ ନୂତନ ସରକାର ବସିବାକୁ ଇତି ମଧ୍ୟରେ ୧୦ମାସ ବିତିବାକୁ ବସିଥିବାରୁ ଉକ୍ତ ପ୍ରକଳ୍ପର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କିପରି ହେବ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।