ବାରିପଦା ଠାରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ

ରାଜ୍ୟ

ବାରିପଦା: ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆଜି ପୁରୀର ତାଳବଣିଆ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ପାଳନ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ଏହି ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଇ- ପଂଚାୟତ ସଭା (ପଂଚାୟତ ସମିତି) ପୋର୍ଟାଲ, ପି ଏମ ଏସ ପୋର୍ଟାଲ, ପଂଚାୟତ ମନିଟରିଙ୍ଗ ସିଷ୍ଟମ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିବା ସହିତ ୬୧୩ ଗୋଟି ଗ୍ରାମ ପଂଚାୟତକୁ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ, ୬ ଲକ୍ଷ ହିତାଧିକାରୀ ଙ୍କୁ ନୂତନ ରାସନ କାର୍ଡ ପ୍ରଦାନ, ପ୍ରଧାନମନ୍ତ୍ରୀ ସୂଯ୍ୟଘର ଯୋଜନାରେ ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ପାଇଁ ୧,୩୮, ୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ, ୩୧୪ ଟି ବ୍ଲକସ୍ତରୀୟ ଷ୍ଟାଡିଅମର ଭିତ୍ତି ପ୍ରସ୍ତର ସ୍ଥାପନ ଓ ୨ ଲକ୍ଷରୁ ନୂତନ ସୁଭଦ୍ରା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହି ଅବସରରେ ଆଜି ବାରିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ସମାରୋହ -୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଏପିଡି (ପ୍ରଶାସନ) ଶ୍ରୀ ଶାନ୍ତନୁ କୁମାର ନାୟକ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଗତ ୨୨ ତାରିଖ କାଶ୍ମିର ର ପହଲଗାମ ଠାରେ ଆତଙ୍କବାଦୀଙ୍କ ବର୍ବରତାର ଶିକାର ହୋଇ ଗୁଳିରେ ନିହତ ହୋଇଥିବା ଲୋକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ୧ମିନଟ ନିରବ କରାଯାଇଥିଲା। ବାରିପଦା ବିଡିଓ ଶ୍ରୀ ଦେବେନ୍ଦ୍ର ପ୍ରସାଦ ବଳ ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଭାରତୀ ହାଁସଦା ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ କ୍ଷମତା ବିକେନ୍ଦ୍ରୀକରଣ ହେତୁ ଏହାର ଉପକାରିତା ଉପଲବ୍ଧି ଉପରେ ଆଲୋକପାତ କରି କହିଥିଲେ ଗ୍ରାମ ସଶକ୍ତ ହେଲେ ସେଇ ଅନୁସାରେ ଜିଲ୍ଲା, ରାଜ୍ୟ ଓ ଦେଶ ସଶକ୍ତ ହେବ।

ଏହି ଅବସରରେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ଯୋଜନାରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି ବ୍ଲକ ଓ ଗ୍ରାମ ପଂଚାୟତକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ କିଛି ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଜନ ପ୍ରତିନିଧି, ପଂଚାୟତ ସମିତିର ନିର୍ବାଚିତ ସଦସ୍ୟ-ସଦସ୍ୟ ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ।

Shrutilipi ad