ଖବର ପ୍ରକାଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଦିନକୁ ଦିନ ବିଗିଡ଼ି ଚାଲିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

ରାଜ୍ୟ

ଆଗରପଡ଼ା :ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ଜୁନମାସରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଗୋହିରା ଗାଁକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ଷାଋତୁ ଚାଲୁଥିବାରୁ ରାସ୍ତାକୁ ସମତୁଲ କରାଯାଇ କିଛି ବାଟ କଂକ୍ରିଟ କରାଯାଇଥିଲା ଓ ବାକି କିଛି ବାଟରେ ବଜୁରୀ ଗୁଣ୍ଡ ବିଛାଯାଇ ତାଉପରେ ଡ଼ଷ୍ଟ ବିଛା ଯାଇ ଗମନାଗମନ ଉପଯୋଗୀ କରାଯାଇଥିଲା ଓ ଆଗାମୀ ଦିନରେ ଉକ୍ତ ବାକି ରାସ୍ତାକୁ କଂକ୍ରିଟରେ ପରିଣତ କରାଯିବ ବୋଲି ବିଭାଗ ସୂଚନା ପ୍ରଦାନ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସରମରାରୁ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ମାତ୍ର ୧୦୦ମିଟର କଂକ୍ରିଟ ରାସ୍ତା ଶୋଚନୀୟ ହୋଇପଡିଥିଲା । ବର୍ଷାଋତୁ ଚାଲୁଥିବାରୁ କେନାଲ ପାଣି ଉକ୍ତ ରାସ୍ତାର ଏକ ପାଶ୍ୱର୍ରେ ପ୍ରଭାହିତ ହେଉଥିବାରୁ ପାଣିର ସ୍ରୁଅରେ ରାସ୍ତା ବହୁଦିନ ଧରି ମରାମତି ହୋଇନଥିବାରୁ ଅତଡ଼ା ସବୁ ଧସି ରାସ୍ତା ସଙ୍କୁଚିତ ହେବା ସହ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ରାତିରେ ଉକ୍ତ ରାସ୍ତାରେ ଯିବା ଅର୍ଥ ମରଣକୁ ଆମନ୍ତ୍ରଣ କରିବା ଅବସ୍ଥା ସୃଷ୍ଟି ହୋଇଛି । ଆଗାମୀ ଦିନରେ ଉକ୍ତ ରାସ୍ତା ଉପରେ ଚାରିଚକିଆ ଯାନ ଯିବା ଅସମ୍ଭବ ହୋଇପଡ଼ିବ । ତେଣୁ ଉକ୍ତ ଗ୍ରାମର ବାସୀନ୍ଦାଙ୍କୁ ଏକ ନିଶ୍ଚିତ ବିପଦରୁ ରକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଥିବା ଖବର ଗତ ଅଗଷ୍ଟ ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ୭ମାସ ବିତି ଯାଇଥିଲେ ସୁଦ୍ଧା ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ ବିଗିଡ଼ିବା ସହ ଗମନାଗମନ ଅନୁପଯୋଗୀ ହୋଇ ପଡ଼ିଥିବା ଜଣାପଡ଼ିଛି । ତେଣୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

Shrutilipi ad