ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆଣ୍ଟି-ର୍ୟାଗିଂ ଉପରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଅଭିମୁଖୀକରଣ ଓ ପରାମର୍ଶ କାର୍ଯ୍ୟକ୍ରମ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ସମ୍ବେଦୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ନିଜ ବକ୍ତବ୍ୟରେ ଏହି ବିଶ୍ୱବିଦ୍ୟାଳୟର ଇତିହାସରେ ର୍ୟାଗିଂ ଘଟଣା ନ ଘଟିଥିବା ଏକ ଆନନ୍ଦର ବିଷୟ ବୋଲି ମତଦେବା ସହ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟକୁ ନିଜ ଘର ମନେ କରି ଶୃଙ୍ଖଳା ଆଚରଣ କରିବା ପାଇଁ ପରାମର୍ଶ ଦେଇଥିଲେ ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ର୍ୟାଗିଂ-ବିରୋଧୀ କମିଟିର ସଦସ୍ୟଗଣ ଯଥା ହଷ୍ଟେଲର ୱାର୍ଡେନ ପ୍ରଫେସର ମିନତୀ ମଲ୍ଲିକ, ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଇନ୍ଦ୍ରଜିତ ନାୟକ, ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ, ସହକାରୀ କୁଳସଚିବ ଶ୍ରୀ ସଂଜୀବ ତନ୍ତୀ, ମୟୂରଭଞ୍ଜର ସବ-କଲେକ୍ଟର ଶ୍ରୀ ଦୟାସିନ୍ଧୁ ପରିଡା, ବାରିପଦା ଭଞ୍ଜପୁରର ଆଇ.ଆଇ.ସି. ଶ୍ରୀ ଅଜୟ କୁମାର ଜେନା ଓ କଳିଙ୍ଗ ଟିଭି ମୟୂରଭଞ୍ଜର ବ୍ୟୁରୋ ମୁଖ୍ୟ ଶ୍ରୀ ସତ୍ୟଜିତ ସୋମ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ର୍ୟାଗିଂ ସମ୍ବନ୍ଧୀୟ ଚିନ୍ତା ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରଣନୀତି ଏବଂ ସହାୟତା ପ୍ରଣାଳୀ ବିଷୟରେ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ର୍ୟାଗିଂ ଏବଂ ର୍ୟାଗିଂ-ବିରୋଧୀ ଆଇନର ପରିଭାଷା ଉପରେ ଗୁରୁତ୍ୱ ଦିଆଯାଇଥିଲା, ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ର୍ୟାଗିଂ ମୁକ୍ତ ପରିବେଶର ଗୁରୁତ୍ୱ ଏବଂ ଛାତ୍ରମାନଙ୍କ ମଧ୍ୟରେ ସହାନୁଭୂତି, ସମ୍ମାନ ଏବଂ ପାରସ୍ପରିକ ସମର୍ଥନର ଆବଶ୍ୟକତାକୁ ସ୍ୱୀକାର କରିଥିଲେ । ର୍ୟାଗିଂ ବିରୋଧୀ କମିଟିର ସଦସ୍ୟ ସଂଯୋଜକ ଡକ୍ଟର କୁକୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀଗଣ ଯୋଗଦେଇଥିଲେ ।