Img 20250517 wa0213

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ଖେଳ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ପୂର୍ବତନ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି ଲଲାଟେନ୍ଦୁ ବେହେରା, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଆଜୀବନ ସଦସ୍ୟା ପ୍ରୀତିନନ୍ଦା କାନୁନଗୋ, ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ଓ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଯୁବ ଖେଳାଳି ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ବରିଷ୍ଠ ସଦସ୍ୟ ଗଦାଧର ବେହେରା ଉପସ୍ଥିତ ଥିଲେ I ଉଦଘାଟନୀ ମ୍ୟାଚରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ – ଇ କମ୍ବାଇଣ୍ଡ ସ୍କୁଲ – ଏ କୁ ୧୧୧ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଇ ଟିମ ୩୦ ଓଭରରେ ୬ ଟି ଉଇକେଟ ହରାଇ ୨୪୦ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚନ୍ଦନ କୁମାର ସିଂ ୯୬, ଅଭିଷେକ ଶର୍ମା ୪୬ ଓ ସତ୍ୟମ ସୁନ୍ଦର ସେନାପତି ୩୧ ରନ କରିଥିବା ବେଳେ ବିପକ୍ଷ ଦଳର ମନ୍ଥନ ସାନ୍ତରା ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଏ ଟିମ ୨୦. ୨ ଓଭରରେ ସମସ୍ତ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଅବିନାଶ ଦାସ ୫୨ ରନ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ଦାସ ଓ ଲଳିତ ମହାପାତ୍ର ୩ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଚନ୍ଦନ କୁମାର ସିଂ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅମିତାଭ ପଟ୍ଟନାୟକ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ I ବିଭିନ୍ନ ବିଦ୍ୟାଳୟରେ ୭ମ ରୁ ୧୦ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନଙ୍କୁ ନେଇ ଗଠିତ ୮ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ୧୩ ଦିନ ଧରି ଅନୁଷ୍ଠିତ ହେବା ସହିତ ଚଳିତ ମାସ ୨୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
Shrutilipi ad