ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୬ଷ୍ଠ ଦିନର ୧ମ ମ୍ୟାଚରେ ରଘୁନାଥ ଏମ ଜି ସି ନବଜ୍ୟୋତି ଯୁବକ ସଙ୍ଘକୁ ୪-୧ ଗୋଲରେ ପରାସ୍ତ କରିଥିଲା I ରଘୁନାଥ ଦଳର ଅନିଲ ମାର୍ଣ୍ଡି, ବିଶ୍ୱନାଥ ହେମ୍ବ୍ରମ, ସଂଜୀବ ମୁର୍ମୁ ଓ ରୋହିତ ମାର୍ଣ୍ଡି ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଵା ବେଳେ ନବଜ୍ୟୋତି ଦଳର ରାଇସେନ ହେମ୍ବ୍ରମ ଗୋଟିଏ ଗୋଲ ଦେଇଥିଲେ I ୨ୟ ମ୍ୟାଚରେ ଡ୍ରାଗନ ଯୁବକ ସଙ୍ଘ ଜଗନ୍ନାଥ ବିର୍ସାବୀରକୁ ୪-୦ ଗୋଲରେ ପରାସ୍ତ କରିଥିଲା I ଡ୍ରାଗନ ଦଳର ଚିକୁନ ମାର୍ଣ୍ଡି ଓ ସନ୍ଦୀପ ଟୁଡୁ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ I ବାପୁନ କୁମାର ମହାନ୍ତ,ରବୀନ୍ଦ୍ର ନାଥ ଟୁଡୁ, ସମ୍ରାଟ ହେମ୍ବ୍ରମ, ରତ୍ନାକର ସୋରେନ, ସୁଭଦ୍ରା ହେମ୍ବ୍ରମ ଓ ଅମ୍ବିକା ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ୧ମ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ, ବିଶିଷ୍ଟ ଫୁଟବଲ ଖେଳାଳି ପ୍ରଦୀପ କିଶୋର ମହାନ୍ତି, କ୍ରୀଡ଼ାବିତ ସୋମନାଥ ସିଂହ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅଶୋକ ପଟ୍ଟନାୟକ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ୨ୟ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଖେଳାଳି ବିଜୟ କୁମାର ଦାସ (ମଣ୍ଟୁ ଦା) ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ସକାଳ ୮ଟା ରେ ଖେରୱାଲ ଜୁମିଦ ଓ ଶାନ୍ତିନିକେତନ ଯୁବକ ସଙ୍ଘ ଏବଂ ଅପରାହ୍ନ ୪ଟା ରେ ଫିଉଚର ଷ୍ଟାର ସ୍ପୋର୍ଟସ ଓ ଆର ପି ଜେ ଜେ ମଧ୍ୟରେ ଖେଳ ଅନୁଷ୍ଠିତ ହେବ I
