ଦୁବାଇ : ମିନି ବିଶ୍ୱକପ୍ କୁହାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ମ୍ୟାଚ୍ରେ ଦମ୍ଦାର ବିଜୟ ହାସଲ କରିଛି ଭାରତ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ଭାରତ ଓ ପାକିସ୍ତାନ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୨୪୨ ରନ୍ର ଟାର୍ଗେଟକୁ ଭାରତ ୪୨.୩ ଓଭରରେ ମାତ୍ର ୪ ୱିକେଟ ହରାଇ ହାସଲ କରିନେଇଛି।
ଭାରତର ନିର୍ଭର ଯୋଗ୍ୟ ବ୍ୟାଟର ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ବଡ଼ ଇନିଂସ ସହ ଫୁଲ୍ ଫର୍ମକୁ ଫେରି ସମାଲୋଚକଙ୍କ ମୁହଁ ବନ୍ଦ କରିବା ସହ ଭାରତକୁ ବଡ଼ ବିଜୟ ଭେଟି ଦେଇଛନ୍ତି। ଗତ କିଛି ଦିନ ଧରି ବିରାଟ କୋହଲି ଭଲ ଆରମ୍ଭ କରୁଥିଲେ ମଧ୍ୟ ବଡ଼ ସ୍କୋର କରିବାକୁ ସକ୍ଷମ ହେଉନଥିଲେ। ଯାହା ପରେ ତାଙ୍କୁ ସମାଲୋଚନା କରାଯାଉଥିଲା। ଆଉ ଆଜି ବଡ଼ ମ୍ୟାଚ୍ରେ ବଡ଼ ଇଂନିସ ଖେଳି ବିରାଟ ଲୟକୁ ଫେରିଛନ୍ତି। ବିରାଟ ପାକିସ୍ତାନ ବିପକ୍ଷରେ ୧୧୦ ବଲ୍ରେ ୧୦୦ ରନ୍ କରିଛନ୍ତି। ଯେଉଁଥିରେ ୭ଟି ଚୌକା ସାମିଲ ରହିଛି।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ପାକିସ୍ତାନର ଦୁଇ ଓପନର ଇମାମ ଉଲ ହକ୍ ଓ ବାବର ଆଜମ ଭଲ ଆରମ୍ଭ କରିଥିଲେ। ୮.୨ ଓଭଳ ସୁଦ୍ଧା ପାକିସ୍ତାନ ୪୧ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ପାକିସ୍ତାନର ନିର୍ଭରଯୋଗ୍ୟ ବ୍ୟାଟର ବାବର ଆଜମଙ୍କୁ ୱିକେଟ କିପର କେ.ଏଲ୍ ରାହୁଲଙ୍କ ଦ୍ବାରା କ୍ୟାଚ୍ ଆଉଟ କରାଇ ପାଭିଲିୟନ ପଠାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହାପରେ ପାକିସ୍ତାନର ସ୍କୋର ୪୭ ଥିବା ବେଳେ ଇମାମ ଉଲ ହକ୍ଙ୍କୁ ରନ୍ ଆଉଟ କରାଇ ଅକ୍ଷର ପଟେଲ ଭାରତକୁ ଆଉ ଏକ ସଫଳତା ଦେଇଥିଲେ।
ପାକିସ୍ତାନ ଦୁଇ ୱିକେଟ ହରାଇବା ପରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଅଧିନାୟକ ମହମ୍ମଦ ରିଜଓ୍ବାନ ଓ ସାଉଦ ସକିଲ ଭଲ ପାର୍ଟନରସିପ୍ କରିଥିଲେ। ଦୁହେଁ ୧୫୧ ରନ୍ର ପାର୍ଟନରସିପ୍ କରି ପାକିସ୍ତାନକୁ ଏକ ମଜଭୁତ୍ ସ୍ଥିତିକୁ ନେଇଥିଲେ। ଏହାପରେ କିନ୍ତୁ ଭାରତୀୟ ବୋଲି ପୁଣି ପ୍ରତ୍ୟାବର୍ତ୍ତନ କରି ଏହି ଯୋଡିକୁ ଭାଙ୍ଗିଦେଇଥିଲେ। ଅକ୍ଷର ପଟେଲ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜଓ୍ବାନଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ।ମହମ୍ମଦ ରିଜଓ୍ବାନ ୪୬ରନ୍ରେ ଆଉଟ ହେବା ପରେ ସାଉଦ ସକିଲ ମଧ୍ୟ ଦଳର ସ୍କୋର ୧୫୯ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍ରରେ ୬୨ ରନ୍ କରି ଆଉଟ ହୋଇଥିଲେ।
ପାକିସ୍ତାନ ଟିମ୍ର ୪ଟି ୱିକେଟ ପଡିବା ପରେ ପାକ୍ ଖେଳାଳି ଆଉ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। କିଛି କିଛି ରନ୍ ବ୍ୟବଧ୍ୟାନରେ ୱିକେଟ ହରାଇ ଚାଲିଲେ। ଯାହା ଫଳରେ ପାକିସ୍ତାନ ୪୯.୪ ରେ ଅଲ୍ଆଉଟ ହୋଇ ୨୪୧ ରନ୍ କରିଛି। ଭାରତୀୟ ବୋଲରଙ୍କ ମଧ୍ୟରୁ ସ୍ପିନ ବୋଲର କୁଲଦୀପ ଯାଦବ ୩ଟି ଓ୍ୱିକେଟ୍ ନେଇଥିବାବେଳେ,ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା ଗୋଟିଏ ଲେଖାଏଁ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ପାଇଥିଲେ।
ଅନ୍ୟପଟେ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୨୪୨ ରନ୍ର ବିଜୟ ଲକ୍ଷ ନେଇ ଭାରତର ଦୁଇ ଓପନର ବ୍ୟାଟର ଅଧିନାୟକ ରୋହିତ ଓ ଉପ ଅଧିନାୟକ ଶୁଭମନ୍ ଗିଲ ପଡିଆକୁ ଓହ୍ଲାଇଥିଲେ। ଦୁହେଁ ଏକ ଭଲ ଆରମ୍ଭ କରିଥିଲେ ମଧ୍ୟ ଆଗକୁ ବଢିପାରିନଥିଲେ। ଦଳର ସ୍କୋର ୩୧ ରନ୍ ଥିବା ବେଳେ ରୋହିତ ଶାହୀନ ଶାହ ଆଫ୍ରିଦୀଙ୍କ ଶିକାର ହୋଇଥିଲେ। ଏହାପରେ ବିରାଟ କୋହଲି ଏବଂ ଶୁଭମନ୍ ଗିଲ ଭଲ ପାର୍ଟନରସିପ୍ କରିଦଳର ସ୍କୋରକୁ ତିନି ଅଙ୍କରେ ପହଞ୍ଚାଇଥିଲେ। ଶୁବମନ ଗିଲ୍ ୪୬ ରନ୍ କରିବା ପରେ ଆଉଟ ହୋଇଥିଲେ। ହେଲେ ଏହାପରେ ଶ୍ରେୟଶ ଆୟର ଓ ବିରାଟ ଦଳକୁ ବିଜୟ ନିକଟକୁ ନେଇଯାଇଥିଲେ। ଶ୍ରେୟଶ ଆୟର ୫୬ ରନ, ବିରାଟ କୋହଲି ୧୦୦, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ।ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦୀ ୨ଟି ଏବଂ ଆବରାର ଅହମ୍ମଦ ଓ ଖୁସଦୀଲ ଶାହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।