IMG 20260715 WA0166

ଉଦଯାପିତ ହେଲା ଫୁଟବଲ୍ ଦକ୍ଷତା ବୃଦ୍ଧି କର୍ମଶାଳା, ପ୍ରଶିକ୍ଷକଙ୍କୁ ମିଳିଲା କ୍ରୀଡ଼ା ଉପକରଣ

ଖେଳ

ବାରିପଦା :ଟାଟା ଟ୍ରଷ୍ଟସ୍‌ର ସହଯୋଗରେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ୍ ଏକାଡ଼େମୀ ଦ୍ୱାରା ଆୟୋଜିତ ତିନିଦିନିଆ ‘ଆରମ୍ଭ’ ମଲ୍ଟି-ସ୍ପୋର୍ଟସ୍ ପ୍ରୋଗ୍ରାମ ଅନ୍ତର୍ଗତ ଫୁଟବଲ୍ ଦକ୍ଷତା ବୃଦ୍ଧି କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି I ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ପ୍ରଶିକ୍ଷକ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ଭବିଷ୍ୟତରେ ମୟୁରଭଞ୍ଜ ଫୁଟବଲର ପୂର୍ବ ଗୌରବ ଫେରିଆସିବ ବୋଲି ଆଶାପୋଷଣ କରିଥିଲେ I ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ସୁଭାଶିଷ ନାୟକ ଓ ଓଡିଶା ଫୁଟବଲ କ୍ଲବ କୋଚ ମିର ଆସିଫ ପ୍ରମୁଖ ଉପସ୍ଥିତ ରହି ଏକାଡ଼େମୀର ବିଭିନ୍ନ କେନ୍ଦ୍ର ପାଇଁ ପ୍ରଶିକ୍ଷକମାନଙ୍କୁ କ୍ରୀଡ଼ା ଉପକରଣ ବଣ୍ଟନ କରିବା ସହ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ I

 

ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ନାୟକ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଏପରି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ତିନିଦିନିଆ କର୍ମଶାଳାରେ ଓଡ଼ିଶା ଏଫ୍‌ସିର ପ୍ରଶିକ୍ଷକ ମୀର ଆସିଫ୍ ପ୍ରଶିକ୍ଷକମାନଙ୍କୁ ଫୁଟବଲ୍‌ର ଆଧୁନିକ କୌଶଳ ଓ ବୈଷୟିକ ଜ୍ଞାନ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପରାମର୍ଶଦାତା ସୋମନାଥ ସିଂହ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସ ଏବଂ ସହ-ପ୍ରତିଷ୍ଠାତା ସାଇ କିରଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ମାଷ୍ଟର ଟ୍ରେନର୍ ଏବଂ ପ୍ରଶିକ୍ଷକମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଫୁଟବଲ୍‌ ପ୍ରଶିକ୍ଷଣର ନୂତନ ଦିଗ ସମ୍ପର୍କରେ ଅବଗତ ହୋଇଛନ୍ତି, ଯାହା ଆଗାମୀ ଦିନରେ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ନୂଆ ପରିବର୍ତ୍ତନ ଆଣିବ ବୋଲି ଆୟୋଜକମାନେ ମତବ୍ୟକ୍ତ କରିଛନ୍ତି l