ବାରିପଦା: ଆଜି ବାରିପଦାର ଦେବେନ୍ଦ୍ରପୁର ସ୍ଥିତ ବିଜୁପଟ୍ଟନାୟକ ସନ୍ତରଣାଗାର ଠାରେ ଓଡିଶା ରାଜ୍ୟ ସନ୍ତରଣ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ସନ୍ତରଣ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସମ୍ମାନନୀୟା ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଏବଂ ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏହି ଅବସରରେ ମହାରାଣୀ ପ୍ରତିଯୋଗତାରେ ଅଂଶଗ୍ରହଣକାରି ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସାହଭରା ଶବ୍ଦ ମାଧ୍ୟମରେ ସେମାନଙ୍କ ଭବିଷ୍ୟତ ଜୀବନ ଅଗ୍ରଗତିର ମଙ୍ଗଳ କାମନା କରିଥିଲେ। ସେହିପରି କମାଣ୍ଡାଣ୍ଟ ଶ୍ରୀ ନାୟକ କହିଥିଲେ ଯେ, ଅନ୍ୟାନ୍ୟ ଖେଳ କୁଦ ସହିତ ସନ୍ତରଣ ଶିଖିବା ନିଶ୍ଚିତ ଭାବେ ପିଲାମାନଙ୍କର ଏକ ଅନନ୍ୟ ପ୍ରତିଭା। ଏହା କେବଳ ଯେ ନିଜର ଦକ୍ଷତାର ପରିଚୟ ଦେଇ ଥାଏ ତା ନୁହେଁ, ବରଂ ଜଳରେ ବୁଡିଯିବା ଭଳି ଆକସ୍ମିକ ବିପଦ ସମୟରେ ଆତ୍ମରକ୍ଷାର ମାଧ୍ୟମ ସାଜିଥାଏ। କାରଣ ବନ୍ୟାବାତ୍ୟା ଓ ଅନ୍ୟାନ୍ୟ ସମୟରେ ଦୁର୍ଭାଗ୍ୟ ବଶତଃ ଲୋକମାନେ ପାଣିରେ ବୁଡି ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ତେଣୁ ଛୋଟ ବେଳରୁ ସନ୍ତରଣ କୌଶଳ ତାଲିମ ନେଇଥିଲେ ଜଳରେ ବୁଡିଯିବା ଭଳି ଆକସ୍ମିକ ବିପଦରୁ ନିଜେ ରକ୍ଷା ପାଇବା ସହିତ ଅନ୍ୟ ମାନଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିବେ।
ଆଜିର ଅନୁଷ୍ଠିତ ପ୍ରତିଯୋଗିତାରେ ପାଖାପାଖି ୧୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ଉକ୍ତ ପ୍ରତିଯୋଗିତାକୁ ହୁର୍ଶୀ ମହାପାତ୍ର, ହେମନ୍ତ କୁମାର ବଳ, କମଳ କୁମାର କୁଅଁରବାବୁ ଓ ଅବିନାଶ ସାହୁ ପ୍ରମୁଖ ଆୟୋଜନ କରିଥିଲେ।
